ମୋହ



ସେ ରୀନା ର ଅତି ନିଜର ଥିଲା। ରୀନା ର ବେଷ୍ଟ୍ ଫ୍ରେଣ୍ଡ୍। ରୀନା ତାକୁ ବେଷ୍ଟୁ ଡାକେ। ନିତି ସକାଳେ ତା ଵେଷ୍ଟୁ ମୁଁହ ଆଗ ଦେଖେ ରୀନା। ତାକୁ ସାମ୍ନା ରେ ଦେଖିଲେ ରୀନା ଓଠ ରେ ହସ ଖେଳି ଯାଏ। କେବେ ଯଦି ମନ ଦୁଃଖ ହୁଏ, ଵେଷ୍ଟୁ କୁ ସବୁ ଜଣାଏ ସେ। ଖୁବ୍ ସଜେଇ ହେଇ ଫୁଲେଇ ହୁଏ ଵେଷ୍ଟୁ ଆଗରେ। ଆଉ କାହାକୁ କିଛି କହି ପାରୁ କି ନ ପାରୁ, ସବୁ କଥା କହେ ଵେଷ୍ଟୁ କୁ।ଏମିତି ଲାଗୁଥିଲା ଯେମିତି ରୀନା ପାଇଁ ଵେଷ୍ଟୁ ସବୁଠୁଁ ଅଧିକା ମୂଲ୍ୟବାନ। ଵେଷ୍ଟୁ ମଧ୍ୟ ଯେମିତି ଚାହିଁ ରହି ଥାଏ ରୀନା ର ବାଟ କୁ। ରୀନା କୁ ଦେଖି ଦେଲେ ଵେଷ୍ଟୁ ର ଝାଉଁଳି ଯାଇଥିବା ମୁଁହ ଟି ସତେଜ ହେଇ ଉଠେ।ରୀନା ତା ଦେହରେ ଧୂଳି ଲାଗିବାକୁ ଦିଏ ନାହିଁ।

 

ରୀନା ର ମାମୁଁ ଘର, ପାଖ ଗାଆଁ ରେ।ପଞ୍ଚମ ଶ୍ରେଣୀ ରେ ପଢୁଥିବା ରୀନା ଓ ତା ସାନ ଭଉଣୀ ମୀନା ମାମୁଁ ଘର ଗାଁ କୁ ବୁଲି ଯାଇଥିବା ବେଳ ର କଥା। ଗାଆଁ ରେ ମକର ଯାତ୍ରା ସବୁ ବର୍ଷ ପଡ଼େ। ମାସେ ଧରି ରୁହେ ବହୁତ୍ ବଡ଼ ମେଳା ଲାଗେ।କେତେ ଆଡୁ କେତେ ଲୋକ ଆସନ୍ତି।କେତେ କଣ କିଣା ବିକା ହୁଏ। ଭଲ ଭଲ ସୁସ୍ୱାଦୁ ଖାଦ୍ୟ ମଧ୍ୟ ବିକ୍ରି ହୁଏ। ରାମ ଦୋଳି, ମଟର ସାଇକେଲ, କାର ଦୋଳି, ସର୍କସ,ଆହୁରି କେତେ କଣ। ମେଳା ରେ ମାମୁଁଙ୍କ ଡାହାଣ ହାତ ଧରି ଚାଲି ଥାଏ ରୀନା, ଆଉ ବାମ ହାତ ଧରି ମୀନା। 


ଆଇସକ୍ରିମ ଖାଇ ଖାଇ ବୁଲୁ ଥିବା ବେଳେ ହଠାତ୍ ରୀନା ର ନଜର ପଡ଼ିଲା ବେଷ୍ଟୁ ଉପରେ। ଧୂଳି ଧୂସର ହେଇ ଅଲୋଡ଼ା ଆଖୋଜା ଭଳି ପଡ଼ି ରହିଥିଲା ସେ ଗୋଟିଏ କଣ ରେ, ଆଉ ଯେମିତି ଏକ ଲକ୍ଷ୍ୟ ରେ ଅପେକ୍ଷା କରି ଥିଲା କାହାକୁ। କେହି ଜଣେ ଆସିବ, ତାକୁ ଆଦେରି ନେବ । ରୀନା ର ପାଦ ଅଟକି ଯାଇ ଥିଲା। ମାମୁଁଙ୍କ ହାତ ରୁ ହାତ ଛଡେଇ ଧାଇଁ ଯାଇ ଥିଲା ଵେଷ୍ଟୁ ପାଖକୁ। ପିନ୍ଧି ଥିବା ଜାମା ରେ ପୋଛି ପକାଇଲା ତାକୁ। ଆ... ହା...। କି ସୁନ୍ଦର୍ ଦିସୁଛି ଵେଷ୍ଟୁ। ରୀନାର ମୁଁହ ଉଜ୍ଜଳ ଦେଖା ଗଲା। ହସ ଧାରେ ରୀନା ଓଠରେ ବିଜୁଳି ମାରିଲା ଭଳି ଖେଳି ଗଲା। ଏକା ଜିଦ୍ ଧରିଲା ବେ଼ଷ୍ଟୁ କୁ ଘରକୁ ନେବା ପାଇଁ ଆଉ ଆଣିକି ମଧ୍ୟ ଆସିଲା। 


ରୀନା ର ଖୁସି ଦେଖେ କିଏ। ଧୀରେ ଧୀରେ ରୀନା ଓ ବେ଼ଷ୍ଟୁ ବେଷ୍ଟ ଫ୍ରେଣ୍ଡ୍ ହେଇ ଗଲେ। ସାନ ଭଉଣୀ ମୀନା ସାଙ୍ଗରେ ବି ଆଉ ବେଶୀ ଖେଳିଲା ନାହିଁ ରୀନା। ମୀନା କୁ ହାତ ଲଗେଇ ବାକୁ ଦିଏ ନାହିଁ ରୀନା ତା ବେ଼ଷ୍ଟୁ କୁ। ଯାହା, କରୁ, ଯୁଆଡେ ଯାଉ, ଯେଉଁଠୁ ଫେରୁ, ବେ଼ଷ୍ଟୁ କୁ ନ ଦେଖା କଲେ ରୀନା ର ମନ ଶାନ୍ତି ହେଉ ନ ଥିଲା।

 

ଏମିତି ଦିନ ବିତି ଚାଲିଲା। ମାସେ.....,ଦୁଇ ମାସ.....। ମୀନା ବି ଆଉ ଜିଦ୍ କଲା ନାହିଁ ବେ଼ଷ୍ଟୁ ସହ ଖେଳିବା ପାଇଁ।ଏହା ଦେଖି ରୀନା କୁ ଟିକେ ଅଡ଼ୁଆ ଅଡ଼ୁଆ ଲାଗିଲା। ଯେଉଁ ମୀନା ତା ଠୁଁ ବେ଼ଷ୍ଟୁ କୁ ନେବା ପାଇଁ ଏତେ ଅଳୀ କରୁ ଥିଲା, ସେ ଏବେ ଆଉ ବେ଼ଷ୍ଟୁ ପ୍ରତି ଏତେ ଆକର୍ଷିତ ନ ଥିଲା କଣ ପାଇଁ। ସେ ଯାହା ହେଉ, ଏବେ ବେ଼ଷ୍ଟୁ ଏକା ରୀନା ର ବେଷ୍ଟ ଫ୍ରେଣ୍ଡ୍। ରୀନା ଓ ବେ଼ଷ୍ଟୁ ଭିତରେ ଆଉ କେହି ଆସିବେନି।

 

ଦିନେ ଖରା ବେଳେ ଘର ପଛ ଆମ୍ବ ତୋଟା ରେ ରୀନା ବସି ପବନ ଖାଉ ଥାଏ। ଖରା ଦିନ। ତୋଟା ଆମ୍ବରେ ପୁରି ଥାଏ। ପାଚିଲା ଆମ୍ବ ର ବାସ୍ନା ରୀନା କୁ ଅଥୟ କଲା। ଭାବିଲା ପଥର ମାରି ଆମ୍ବ ତୋଳି ଖାଇବ। ପଥର ର ସନ୍ଧାନରେ ଲାଗି ପଡ଼ିଲା ରୀନା। ପଥର ପାଇବା ପୂର୍ବରୁ କଣ ଗୋଟେ ନଜର ରେ ଆସିଲା ତାର। ବେ଼ଷ୍ଟୁ .....। ରୀନା ଚମକି ପଡ଼ିଲା। ତା ବେ଼ଷ୍ଟୁ ଏଠି ??? ଆଖିରେ ଲୁହ ଜକେଇ ଆସିଲା। ଏକ ମୁହାଁ ହୋଇ ଦୌଡିଲା ଘରକୁ। ବେ଼ଷ୍ଟୁ ଥିବା ରୁମ୍ କୁ ଯାଇ ଦେଖେ ତ ବେ଼ଷ୍ଟୁ ତାର ସେମିତି ହସୁଛି, ଚିକ୍ ଚିକ୍, ଉଜ୍ଜଳମାନ ଆଉ ଆଗ ଭଳି ଅପେକ୍ଷାରତ ରୀନା କୁ। ରୀନା ଦୀର୍ଘ ଶ୍ଵାସ ନେଲା। ତା ବେ଼ଷ୍ଟୁ ତ ଘରେ ଅଛି, ହେଲେ ତୋଟା ରେ ସେ ଯାହା ଦେଖିଲା, ସେଇଟା କଣ ? ଆଉ କିଛି ...?

 

ମା.... ମା..... ଡାକ ଛାଡ଼ିଲା ରୀନା। ତୋଟା ରେ ଦେଖି ଥିବା ସମସ୍ତ ଘଟଣା କହିଲା। ଆଉ ମା କୁ ଚାହିଁ ରହିଲା ଉତ୍ତର ଅପେକ୍ଷା ରେ। ମାଆ ରୀନା କଥାକୁ ଏଡେଇ ଦେଇ କହିଲେ, ତୋ ବେ଼ଷ୍ଟୁ ତ ଠିକ୍ ଅଛି। ଏତେ କଥା ଭାବେ ନାହିଁ। ଯା, ଖେଳିବୁ। ହେଲେ ରୀନା ଜିଦ୍ ରେ ଅଟଳ। ବାଧ୍ୟ ହେଇ ମାଆ ସବୁ ସତ କହିଲେ।

 

 ଘଟଣା ଟି ଜାଣିବା ପାଇଁ ଆମକୁ ଟିକେ ନିକଟ ଅତୀତ ଆଡ଼େ ବୁଲି ଯିବାକୁ ହେବ। ରୀନା ବେ଼ଷ୍ଟୁକୁ ଆଣି ଆସିବାର ପନ୍ଦର ଦିନ ପର ର କଥା। ରୀନା ଓ ବେ଼ଷ୍ଟୁ ଏକ ରକମ ପକ୍କା ୱାଲା ଦୋସ୍ତ ବନି ଯାଇଥିଲେ। ଥରେ ମୀନା କୁ ବହୁତ୍ ଜୋର୍ ରେ ଜର ହେବାରୁ ରୀନା ଏକା ସ୍କୁଲ ଯାଇ ଥିଲା। ମୀନା ବଡ ଦିଦୀ ନ ଥିବାର ସୁଯୋଗ ନେଇ ମାଆ କୁ ନ ଜଣେଇ ବେ଼ଷ୍ଟୁ ସହ ଖେଳିବାରେ ଲାଗିଲା। 


ମାଆ ରୋଷେଇ ରେ ବ୍ୟସ୍ତ ଥିଲେ। ଖେଳୁ ଖେଳୁ ମୀନା ହାତରୁ ଦର୍ପଣ ଟି, ଯାହା କି ରୀନା ର ବେ଼ଷ୍ଟୁ ଥିଲା, ତଳେ ପଡ଼ି ଭାଙ୍ଗି ଗଲା।ଏହା ଦେଖି ମୀନା ବହୁତ୍ ଡରି ଯାଇଥିଲା ଓ ମାଆ କୁ ସବୁ କଥା କହିଥିଲା। ମାଆ ଜାଣନ୍ତି ରୀନା ଦର୍ପଣ ଟିକୁ ବହୁତ୍ ଭଲ ପାଏ।ଭାଙ୍ଗି ଯାଇଛି ଶୁଣିବ ଯଦି ବହୁତ୍ କାନ୍ଦିବ।ତେଣୁ ମାଆ ତୁରନ୍ତ ମାମୁଁଙ୍କୁ ଫୋନ୍ କରି ରୀନା ସ୍କୁଲ ରୁ ଫେରିବା ଆଗରୁ ଅବିକଳ ଆଉ ଏକ ଦର୍ପଣ ମଗେଇ ଦେଇଥିଲେ। ଭାଙ୍ଗି ଯାଇଥିବା ଦର୍ପଣ ଟିକୁ ଘର ପଛ ପଟ ଆମ୍ବ ତୋଟା ରେ ମାଆ ଫିଙ୍ଗି ଦେଇ ଥିଲେ। ବିଚାରୀ ରୀନା କିଛି ଜାଣି ପାରି ନ ଥିଲା।ନୂଆ ଦର୍ପଣ ଟିକୁ ସେ ଆଣିଥିବା ବେ଼ଷ୍ଟୁ ବୋଲି ଭାବି ନେଇଥିଲା। ସେଦିନ ଆମ୍ବ ତୋଟା ରେ ରୀନା ତା ଦର୍ପଣ ର ଫ୍ରେମ୍ ଟିକୁ ଦେଖି ଚମକି ପଡ଼ିଥିଲା।

 

ଏସବୁ ଶୁଣି ରୀନା ଥମ୍ କରି ବସି ପଡ଼ିଲା। ଯାହାକୁ ସେ ତାର ବେ଼ଷ୍ଟୁ ବୋଲି ଭାବୁଥିଲା, ସେ ଯେ ଆଉ କେହି। ତା ବେ଼ଷ୍ଟୁ ତ କେବେଠାରୁ ତାକୁ ଛାଡି ଚାଲି ଯାଇଛି। ମୁଁହ ଶୁଖିଗଲା ରୀନା ର। ବହୁତ୍ କାନ୍ଦିଲା ସେ। ଦିନ ଯାକ ମୁଁହ ମାଡ଼ି ବିଛଣା ରେ ସୋଇ ବେ଼ଷ୍ଟୁ କଥା ଭାବୁ ଥାଏ ଓ ଆଖିରୁ ଲୁହ ଢାଳି ଚାଲିଥାଏ। ମାଆ ବହୁତ୍ ବୁଝେଇବାରୁ ଧୀରେ ଧୀରେ ରୀନା ବୁଝିଲା। ପୁଣି ରୀନା ମୀନା ସାଙ୍ଗ ହେଇ ଖେଳିଲେ। ସମୟ ତ ଲାଗିଲା, ହେଲେ ସବୁ ଠିକ୍ ହେଇ ଗଲା।

 

ସତରେ, କାହା ପ୍ରତି ଯଦି ମୋହ ଲାଗିଯାଏ, ତା ଠାରୁ ଦୁରେଇବା କଷ୍ଟ ହେଇ ପଡ଼େ। ମଣିଷ ଭୁଲି ଯାଏ ଯେ ଏ ସଂସାର ରେ କିଛି ବି ଚିରସ୍ଥାୟୀ ନୁହେଁ, ମୋହ ସମ୍ପର୍କ ର ହେଉ ବା ଧନ ର ହେଉ ବା ପ୍ରତିଷ୍ଠା ର ହେଉ।








Post a Comment

2 Comments

  1. true
    ସତରେ, କାହା ପ୍ରତି ଯଦି ମୋହ ଲାଗିଯାଏ, ତା ଠାରୁ ଦୁରେଇବା କଷ୍ଟ ହେଇ ପଡ଼େ। ମଣିଷ ଭୁଲି ଯାଏ ଯେ ଏ ସଂସାର ରେ କିଛି ବି ଚିରସ୍ଥାୟୀ ନୁହେଁ, ମୋହ ସମ୍ପର୍କ ର ହେଉ ବା ଧନ ର ହେଉ ବା ପ୍ରତିଷ୍ଠା ର ହେଉ।

    ReplyDelete

Share your feedback.