ମମତା ଦାଣ୍ଡ
ପିଣ୍ଡାରେ ମନୋହରୀ ବାଲା କୁ ଦେଖି ଭାରି ଖୁସି ହେଇଯାଇଥିଲା।ମାଆ.... ମାଆ...., ଜଲଦି ବାହାରକୁ ଆସ।
ସୀମା ଖୁଡ଼ି.....,
ରିଙ୍କି ଭାଉଜ.....। ଆସ,
କିଣିବ। ଡାକ ଛାଡ଼ିଲା ମମତା।
ମମତା ଡାକ ଶୁଣି ତାର ମାଆ, ସୀମା ଖୁଡ଼ି,
ରିଙ୍କି ଭାଉଜ ସମସ୍ତେ
ମନୋହରୀ ବାଲା ପଖରେ ପହଞ୍ଚିଲେ। ମମତା ପାଇଁ ମାଆ ଟିକିଲି, ନଖ ପାଲିସ, ମୁଣ୍ଡରେ ଲଗା କ୍ଲିପ୍, ଅଳତା ଆଦି କିଣି ଦେଲେ। ରିଙ୍କି ଭାଉଜ ଓ ସୀମା ଖୁଡ଼ି
ବି କେତେ କଣ କିଣିଲେ। ମମତା ଲକ୍ଷ୍ୟ କଲା ମାଆ ନିଜ ପାଇଁ କିଛି ବି କିଣିଲେ ନାହିଁ। ତେଣୁ ସେ
ଗୋଟେ ଟିକିଲି ପ୍ୟାକେଟ ରିଲା ମାଆ ଙ୍କ
ପାଇଁ।ହେଲେ ମାଆ ମନା କଲେ। ସୀମା ଖୁଡ଼ି ବି କହିଲେ ମାଆ ଲଗେଇବେ ନାହିଁ ବୋଲି। ଆଠ ବର୍ଷ ର
ଟିକି ଝିଅ ମମତା ସେଦିନ ବୁଝି ପାରି ନ ଥିଲା, କାହିଁକି ମାଆ ମନା କଲେ। ସେ କେବେ ବି ମାଆଙ୍କୁ ଭଲ ଶାଢ଼ୀ ପିନ୍ଧିବାର ଦେଖିନି କି କେବେ
ସଜବାଜ ହେବାର ବି ଦେଖିନି। ସବୁବେଳେ ଧଳା କିମ୍ବା ମାଟିଆ ରଙ୍ଗର ଶାଢ଼ୀ ପିନ୍ଧନ୍ତି ମାଆ।କୌଣସି
ପର୍ବପର୍ବାଣୀ ରେ ବି ସଜବାଜ ହୁଅନ୍ତି ନାହିଁ। ହେଲେ କାହିଁକି?
ବାପା ଜଣେ ଭଲ
ବ୍ୟବସାୟୀ ଥିଲେ। ମାଆ ସବିତା ଓ ବାପା ଅଭୟ ଙ୍କର ଏକ ମାତ୍ର ଝିଅ ମମତା। ଘରର ଚଳଣି ବି ଭଲ।
ସବୁକିଛି ବେଶ୍ ଭଲରେ ଚାଲି ଥିଲା। ହେଲେ ଭବିଷ୍ୟତ ତ ସବୁବେଳେ ଅନିଶ୍ଚିତ। ସବିତା ଙ୍କ ଜୀବନ ରେ
ଆସିଲା ଏକ ଅଦିନିଆ ଝଡ଼ ଆଉ ଉଡେଇ ନେଲା ତାଙ୍କ ଶ୍ରୀ କୁ। ମମତା ଙ୍କୁ ଯେତେବଳେ ତିନି ବର୍ଷ,
ଏକ ସଡକ ଦୁର୍ଘଟଣା ରେ ତାଙ୍କ
ବାପାଙ୍କର ମୃତ୍ୟୁ ଘଟିଲା। ମମତା ଓ ତାର ମାଆ ଏକା ହେଇଗଲେ। ମାନସିକ ସ୍ତର ରେ ଶକ୍ତ ଧକ୍କା
ପାଇଲେ ସବିତା। ନିଜକୁ ସମ୍ଭାଳିବା ସହଜ ନ ଥିଲା। ହେଲେ ମମତା ର ମୁଁହ କୁ ଚାହିଁ ନିଜକୁ
ସମ୍ଭାଳିବା ଜରୁରୀ ଥିଲା। ଯେହେତୁ ଆର୍ଥିକ ଅସୁବିଧା ନ ଥିଲା, ତେଣୁ ମାଆ ଓ ଝିଅଙ୍କ ଚଳିବା ରେ କିଛି ଅସୁବିଧା ହେଉ ନ
ଥିଲା।
ସଧବା ସବିତା ଙ୍କ
ହାତ ର ଶଙ୍ଖା ଓ ମଥା ର ସିନ୍ଦୁର ଅଭୟ ଙ୍କ ସହ ଚିତାରେ ଜଳି ଯାଇଥିଲା। ଏବେ ସେ ବିଧବା। ବାକି
ଜୀବନ ତାଙ୍କୁ ଧଳା ଶାଢୀ ରେ ବିତେଇବାକୁ ହେଵ। ବୈଧବ୍ୟ ଧର୍ମ ପାଳନ କରିବାକୁ ହେବ। ସେଦିନ ମମତା
ତାର ବିଧବା ମାଆ ପାଇଁ ଟିକିଲି କିଣିବାକୁ ଜିଦ୍ କରୁଥିଲା। ବୟସ ବଢିବା ସହିତ ଧିରେଧିରେ ସେ ଏହା
ବୁଝି ପାରୁଥିଲା। ଆମ ସମାଜ ରେ ପତି ର ମୃତ୍ୟୁ ପରେ ପତ୍ନୀ ର ସମସ୍ତ ସୁଖ ର ମୃତ୍ୟୁ ଘଟେ।ତାର
ଇଚ୍ଛା ବୋଲି ଆଉ କିଛି ନ ଥାଏ। ଝିଅ ର ସବୁଠାରୁ ବଡ ଖୁସି ତା ଶୃଙ୍ଗାର ରେ ଥାଏ। ହେଲେ ସ୍ବାମୀ
ନ ଥିଲେ ତାକୁ ଶୃଙ୍ଗାର ମନା। ପିନ୍ଧିବା, ଲଗେଇବା, ଖାଇବା ସବୁଥିରେ ତା
ପାଇଁ ଏକ ସୀମା ଧାର୍ଯ୍ୟ କରା ଯାଏ। ଇଚ୍ଛା ଅନିଚ୍ଛା ମାନେ ରଖେନି। କୌଣସି ଶୁଭ କାର୍ଯ୍ୟ ରେ ସେ
ଯୋଗ ଦେବା ଅମଙ୍ଗଳ ସୂଚକ। ତାକୁ ତାର ଇଚ୍ଛା କଣ ବୋଲି ପଚାରିବା ନିୟମ ବିରୁଦ୍ଧ। ଆଉ ଯଦି ସେ
ନିଜ ଇଚ୍ଛା କୁ ସମ୍ମାନ ଦେଲା ସେ କଳଙ୍କିନୀ। ଏହା ହିଁ ଏ ସମାଜ ର ନିୟମ। ମମତା ଙ୍କ ମାଆ ବି ଏ
ସମାଜ ର ନିୟମ କୁ ମାନି ନେଇଛନ୍ତି। ସେ ବିଧବା।କୌଣସି ଅଧିକାର ନାହିଁ ତାଙ୍କର ରଙ୍ଗୀନ ଶାଢ଼ୀ
ପିନ୍ଧିବାର କି ସଜବାଜ ହେବାର। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମମତା ଏ ସବୁ ବୁଝି ସାରି ଥିଲା।
ହେଲେ ଏ ନିୟମକୁ ମାନି ନେବାକୁ ତା ମନ ପ୍ରସ୍ତୁତ ନ ଥିଲା।
ଚାହୁଁ ଚାହୁଁ ମମତା
ଯୌବନ ରେ ପାଦ ଦେଲା। ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ସବିତା ଝିଅ ପାଇଁ ଯୋଗ୍ୟ ଜ୍ବାଇଁ ଟିଏ
ଖୋଜିଲେ। ମମତା ତାଙ୍କର ଏକ ମାତ୍ର ଝିଅ।ତେଣୁ ତାର ଭବିଷ୍ୟତ ସୁଖମୟ ହେବା ସବିତାଙ୍କ ପାଇଁ
ନିହାତି ଜରୁରୀ। ଭାଗ୍ୟକୁ ଭଲ ପାତ୍ର ଟିଏ ମିଳି ଗଲା। ସୁବ୍ରତ ଜଣେ ଆର୍ମୀ ଅଫିସର। ରାଜସ୍ଥାନ
ବର୍ଡର ରେ ପୋଷ୍ଟିଂ। ଭୁବନେଶ୍ୱର ରେ ନିଜ ଘର। ଦୁଇ ଭଉଣୀ ବିବାହିତା। ଘରେ କେବଳ ମାଆ ଓ ବାପା
ଅଛନ୍ତି। ଏ ପ୍ରସ୍ତାବ ଟି ମମତା ପାଇଁ ଠିକ୍ ହେବ ଭାବି ସବିତା ବିବାହ ର ଆୟୋଜନ ରେ ଲାଗି
ପଡ଼ିଲେ। ସୁବ୍ରତଙ୍କ ପରିବାର ମଧ୍ୟ ମମତା କୁ ପସନ୍ଦ କଲେ। ଧୁମ୍ ଧାମ୍ ରେ ମମତା ଓ ସୁବ୍ରତ ଙ୍କ
ବିବାହ ସମ୍ପନ୍ନ ହେଲା। ଦୁଇ ପରିବାର ଖୁବ୍ ଖୁସି। ମମତା ଓ ସୁବ୍ରତ ମଧ୍ୟ ପରସ୍ପର କୁ ଜୀବନ
ସାଥୀ ରୂପେ ପାଇ ବହୁତ୍ ଖୁସି ଥିଲେ। ବାହାଘର ର ପାଞ୍ଚ ବର୍ଷ ମଧ୍ୟରେ ଉନ୍ନତି ଓ ରୋହିତ ଙ୍କ
ମାଆ ହେଲେ ମମତା। ଏତେ ଭଲ ପାଉ ଥିବା ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ନେଇ ମମତା ଙ୍କ ପରିବାର ହସି
ଉଠୁଥିଲା।
ହେଲେ ସମସ୍ତଙ୍କ
ଭାଗ୍ୟ ରେ ସବୁ ଖୁସି ନ ଥାଏ। କୁହନ୍ତି ଖୁସି ର ଆୟୁଷ ବହୁତ୍ କମ୍। ମମତା ବି ତା ଭାଗ୍ୟରେ ଥିବା
ସବୁ ଖୁସିକୁ ବାନ୍ଧି ରଖି ପାରି ନ ଥିଲା। କାର୍ଯ୍ୟରତ ସମୟରେ ସୁବ୍ରତ ବର୍ଡର ରେ ନିଖୋଜ
ହେଇଗଲେ। ଖବର ଘରକୁ ଆସିଲା। ମମତାଙ୍କ ଶାଶୂ ଶଶୁର ନିଜ ପୁଅକୁ ହରେଇ ବି ଆଶା ଛାଡ଼ି ନ ଥିଲେ।
ସେମାନଙ୍କର ବିଶ୍ବାସ ଥିଲା, ସୁବ୍ରତ ନିଶ୍ଚୟ
ଫେରିବେ। ମମତା ବି ଏ ଖବରକୁ ବିଶ୍ବାସ କରି ପାରୁ ନ ଥିଲେ। ଏଇ ପାଞ୍ଚଟା ବର୍ଷ ତ ହେଇଛି ବାହାଘର
କୁ। ଉନ୍ନତି ଓ ରୋହିତ କୁ ନେଇ ସେ ଓ ସୁବ୍ରତ ଯେ କେତେ କଣ ସ୍ୱପ୍ନ ଦେଖିଛନ୍ତି। ପୁଅ ରୋହିତ କୁ
ସୁବ୍ରତ ନିଜ ଭଳି ଜଣେ ଫଉଜୀ କରିବେ। ଝିଅ ଉନ୍ନତି କୁ ଭଲ ଡାକ୍ତର ଟିଏ କରିବେ। ଦୁଇ ସନ୍ତାନ
ବଡ଼ ହେଇ ଦେଶ ମାତୃକା ର ସେବା କରିବେ। ଦେଶ ପାଇଁ ନିଜ କର୍ତ୍ତବ୍ୟ ସମ୍ପାଦନ କରି ସାରିବା ପରେ
ସେ ମମତା ଙ୍କୁ ସାଥିରେ ନେଇ ପୁରା ଦୁନିଆ ବୁଲିବେ। ଏତେ ସବୁ କଥା ଦେଇ ଥିବା ସୁବ୍ରତ ଏତେ
ବେଦାୟିତ୍ଵ ନୁହନ୍ତି। ସେ କେବେ ବି ମମତା କୁ ଏକା ଛାଡି ଯିବେନି। ମମତା ଅପେକ୍ଷା କରିବ।ସୁବ୍ରତ
ନିଶ୍ଚୟ ଫେରିବେ। ନିଶ୍ଚୟ.......।
ଏମିତି ବର୍ଷେ,
ଦୁଇ ବର୍ଷ, ତିନି ବର୍ଷ ବିତିଗଲା। ଶାଶୁ ଶଶୁର ବି ଆଶା ଛାଡ଼ି
ଦେଲେ। ମମତା କୁ ବାଧ୍ୟ କଲେ ହାତ ରୁ ଶଙ୍ଖା କାଢି ଦେବାକୁ ଆଉ ମଥା ରୁ ସିନ୍ଦୂର ପୋଛି ଦେବାକୁ।
ବନ୍ଧୁବାନ୍ଧବ, ସାହି ପଡ଼ିଶା ବି
କେତେ କଥା ଲୁଚେଇ ଦେଖେଇ କହିଲେ। ହେଲେ ମମତା ର ମନ ବା ବୁଝିବ କେମିତି।ସୁବ୍ରତ ଯେ ଫେରିବେ।
ନିଶ୍ଚୟ ଫେରିବେ। ତାଙ୍କର କେତେ ଯେ କାମ ଅସମ୍ପୂର୍ଣ୍ଣ ରହିଛି, ତାକୁ ପୁରା କରିବ କିଏ। ମମତା ଏକା ଏକା ଏତେ ବାଟ
ଚାଲିବ କେମିତି। ଉନ୍ନତି ଓ ରୋହିତ ଙ୍କ ଦାୟିତ୍ଵ ସେ ଏକା ତୁଲେଇବ କେମିତି। ନା... ନା....
ସୁବ୍ରତ ଫେରିବେ। ମମତା ର ଶଙ୍ଖା ସିନ୍ଦୂର ସେମିତି ଅକ୍ଷୁଣ୍ଣ ରହିବ। କାହା କଥା ଶୁଣିଲା ନାହିଁ
ସେ। ନିଇତି ରଙ୍ଗୀନ ଶାଢ଼ୀ, ନାଲି ଶଙ୍ଖା ଓ
ସିନ୍ଦୂର ପିନ୍ଧି ସକାଳୁ ସଧବା ନାରୀ ଟିଏ ଭଳି ନିଜ କର୍ତ୍ତବ୍ୟ କରି ଚାଲେ ମମତା। କେତେ ଲୋକ
କେତେ କଥା କୁହନ୍ତି। ହେଲେ ସେ ଶୁଣେନି। ଦିନ ପରେ ଦିନ,ବର୍ଷ ପରେ ବର୍ଷ ଗଡି ଚାଲିଲା। ଶାଶୁ ଶଶୁର ବି ମମତା
କୁ ଛାଡି ଆରପାରି କୁ ଚାଲି ଗଲେ। ଦୁଇ ପିଲାଙ୍କ ଦାୟିତ୍ଵ ମମତା ସୁଚାରୁ ରୂପେ ସମ୍ପାଦନା କରି
ଚାଲିଥିଲେ।
ଚାହୁଁ ଚାହୁଁ
ସୁବ୍ରତ ନିଖୋଜ ହେବାର ୧୨ ବର୍ଷ ବିତି ଗଲା। ସରକାରୀ ସ୍ତରରେ ବି ସୁବ୍ରତ ଙ୍କୁ ସହିଦ ଘୋଷଣା
କରି ଦିଆଗଲା। ହେଲେ ମମତା ନିଜକୁ ବୁଝେଇବେ ବା କେମିତି। ବନ୍ଧୁ ବାନ୍ଧବ ତାଙ୍କୁ ମଥା ରୁ
ସିନ୍ଦୁର ପୋଛି ବୈଧବ୍ୟ ଧର୍ମ ଗ୍ରହଣ କରିବାକୁ ବହୁତ୍ ବାଧ୍ୟ କଲେ। ମମତା ଆଖିରେ ନାଚି ଉଠିଲା
ତାଙ୍କର ଅତୀତ। ସେ ଦେଖିଥିବା ତା ମାଆ ଙ୍କ ବିବଶତା। ସମାଜ ର ନିୟମକୁ ମାନି ନେଇ ସେ ଧଳା ଶାଢୀ
ରେ ବାକି ଜୀବନ କାଟି ଦେଲେ। ନା ମନ ଖୋଲି ହସିଛନ୍ତି କେବେ ନା ନିଜ ଇଛା ରେ ବଞ୍ଚି ଛନ୍ତି
କେବେ। ମମତା ଦେଖିଛି, ତା ପଡ଼ୋଶୀ ଘରେ
ଥିବା ଝିଲି ଅପା କେମିତି ଅଳ୍ପ ବୟସ ରେ ବାହା ହେଇଥିଲେ। ତା ସ୍ବାମୀ ର ମୃତ୍ୟୁ ପରେ ସେ ମାଆ
ବାପା ଙ୍କ ସହ ରହୁଥିଲେ। ଥରେ ସମସ୍ତଙ୍କୁ ଲୁଚେଇ ପାଉଁଜି ପିନ୍ଧି ଦେଇଥିଲେ ଝିଲି ଅପା। ଆଉ ତା
ପରେ ପରିବାର, ବନ୍ଧୁବାନ୍ଧବ,
ସମାଜ ଆଗରେ ସେ ହେଇଗଲେ
ଧର୍ମଦୋହି। ଯେଉଁ ବୟସ ରେ ଝିଲି ଅପା ଖାତା ବହି ଧରି ପାଠ ପଢ଼ିବା କଥା, ସେ ବୟସ ରେ ସେ ବୈଧବ୍ୟ ଧର୍ମକୁ ନିଜର କର୍ତ୍ତବ୍ୟ
ବୋଲି ମାନି ନେଇଥିଲା।
ସବୁ କିଛି କାଲି
ଭଳି ମନେ ହେଉଛି। ଉନ୍ନତି ଓ ରୋହିତ ଙ୍କୁ ନେଇ ସୁବ୍ରତ ଯେ କେତେ କଣ ପ୍ରତିଶ୍ରୁତି ଦେଇଥିଲେ
ମମତା କୁ। ଆଜି ସେ ପାଖରେ ନାହାନ୍ତି। ହେଲେ ତାଙ୍କର ସବୁ ଇଚ୍ଛାକୁ ପୂରଣ କରିବା ଯେ ମମତା ର
ଧର୍ମ। ସେ କାହିଁକି ବିଧବା ହେବ। ସୁବ୍ରତ ତ ତା ପାଖେ ପାଖେ ଅଛନ୍ତି। ସୁବ୍ରତ ଆଣିଥିବା ଶାଢୀ
କୁ ସେ ପିନ୍ଧିବନି, ସବ୍ରତଙ୍କୁ କେମିତି
ଲାଗିବ। କାଲି ଯଦି ସୁବ୍ରତ ଫେରିବେ ଆଉ ତାକୁ ଧଳା ଶାଢୀ ରେ ଦେଖିବେ,ସେ କଣ ଭାବିବେ। ନା..... ନା.... । ସେ ସେମିତି କିଛି
କରିବନି ଯାହା ସୁବ୍ରତଙ୍କ ମନରେ କଷ୍ଟ ଦେବ। ଆଖି ରୁ ଲୁହ ପୋଛିଲା ମମତା। ଉନ୍ନତି ଓ ରୋହିତ
ପାଇଁ ସେ ମାଆ ଓ ବାପା ଦୁଇଟା ଯାକ ହେବାକୁ ନିର୍ଣ୍ଣୟ ନେଲା। ଏତେ ସହଜ ନ ଥିଲା ସମାଜ ର ନିୟମ
ବିରୁଦ୍ଧ ରେ ଯାଇ ସମାଜ ରେ ରହିବା। ହେଲେ ମମତା କୁ ତା ସ୍ବାମୀ ସୁବ୍ରତ ବଞ୍ଚି ଥିବାର ଆଶା
ଶକ୍ତି ଯୋଗାଇ ଥିଲା ଆଗକୁ ବଢ଼ିବାକୁ। ଦୁଇ ପିଲାଙ୍କୁ ଆବଶ୍ୟକୀୟ ଶିକ୍ଷା ସହ ଉପଯୁକ୍ତ ସଂସ୍କାର
ଦେବାରେ ଲାଗି ପଡ଼ିଲା ସେ। ସମାଜ ର କଟାକ୍ଷ କୁ ଭ୍ରୁକ୍ଷେପ କଲାନି। ଉନ୍ନତି ଓ ରୋହିତ ଉଚ୍ଚ
ଶିକ୍ଷା ପାଇଁ ଘର ଠାରୁ ବାହାରେ ରହିଲା ପରେ ମମତା ପାଖରେ ବହୁତ୍ ସମୟ ବଳି ପଡ଼ିଲା। ସେ ସେହି ସମୟକୁ
ସମାଜ କଲ୍ୟାଣ ରେ ଲଗାଇବା ଉଚିତ୍ ମନେ କଲା। ପ୍ରଥା ଗୁଡ଼ିକ ଯେ ସମାଜ କୁ ଶୃଙ୍ଖଳିତ ରଖିବା
ପାଇଁ ତିଆରି ହେଇଛି, ଏହା ମମତା ଠିକ୍
ଭାବେ ଜାଣିଥିଲା। ଏହି ପ୍ରଥା ଗୁଡ଼ିକ ଯଦି ଶୃଙ୍ଖଳ ବନି ଯିବ ତେବେ ଜୀବନ ଦୁର୍ବିସହ ହୋଇପଡିବ।
ନିଜ ମାଆ ଓ ଝିଲି
ଅପା କୁ ଯେଉଁ କଷ୍ଟ ଭିତରେ ସେ ଦେଖିଥିଲା, ଆଉ କୌଣସି ନାରୀ କୁ ସେ ସେମିତି ଦେଖିବାକୁ ଚାହୁଁ ନ ଥିଲା। ତେଣୁ ଯଥା ସମ୍ଭବ, ସମାଜ କୁ ନୂଆ ବାଟରେ ନେବାପାଇଁ ମମତା ସଂକଳ୍ପବଦ୍ଧ
ଥିଲା ।
0 Comments
Share your feedback.