ମାତୃତ୍ବ ର ବୋଝ

 



ନନ୍ଦନ ବିହାର ଛକ ରେ ମୋ ବସକୁ ଅପେକ୍ଷା କରିବା ମୋର ନିତି ଦିନିଆ କାମ ହେଇ ଯାଇଥିଲା l ଏହି ସମୟ ଭିତରେ କେତେ ଅଚିହ୍ନା  ମୁହଁ ସହ ନିତି ଦେଖା ହେଉଥିଲା l ସେମାନଙ୍କ ଭିତରୁ ଜଣେ ଥିଲେ ମାଉସୀ l ଦେଖା ଚାହାଁ ରୁ ଧୀରେ ଧୀରେ କଥା ବାର୍ତ୍ତା ଆରମ୍ଭ  ହେଲା l ସରଳ ହୃଦୟର ମାଉସୀ ଜଣଙ୍କ ସହ ପରିଚିତ ହେବାକୁ ବେଶୀ ସମୟ ଲାଗିଲା ନାହିଁ l 

ମାଉସୀଙ୍କ ଘର ସୁଦୂର ଭଞ୍ଜ ନଗର, ବରହମପୁରରେ l ଦୁଇ ପୁଅଙ୍କ ପ୍ରତିପୋଷଣ ରେ ଅସୁବିଧା ହେବାରୁ କାହିଁ କେତେ ବର୍ଷ ତଳୁ ମଉସା ଓ ମାଉସୀ କଟକ ଚାଲି ଆସିଥିଲେ l ମଉସା ବାରଙ୍ଗ କାଚ କାରଖାନା ରେ କାମ କଲେ l ମାଉସୀ ଦୁଇ ପୁଅଙ୍କୁ ମଣିଷ କରିବାରେ ଲାଗିଲେ

ସମୟ ବିତି ଚାଲିଲା l ସମୟ  ଆସିଲା କାଚ କାରଖାନା ବନ୍ଦ ହେଇଗଲା l ରୋଜଗାର ବହୁତ ଲୋକଙ୍କର ବନ୍ଦ ପଡିଗଲା l ସେହି ଲୋକ ମାନଙ୍କ ଭିତରୁ ଜଣେ ଥିଲେ ମଉସା l ଦୁଇ ପୁଅ ଛୋଟ ଥିଲେ I ଘରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଘରେ ବସିଗଲେ l ଏହି ଚିନ୍ତା ରେ ମଉସା ବିଛଣା ଧରିଲେ lପରିବାର ଚଳେଇବା  ପାଇଁ ମାଉସୀ ଅଣ୍ଟା ଭିଡ଼ିଲେ l ପାଖ ପଡିଶା ରେ ଘର ଘର ଯାଇ କାମ କଲେ ରୋଜଗାର କମ ହେବାରୁ ନନ୍ଦନ ବିହାର ରେ କେତେ  ଘରେ କାମ କଲେ l  

ଏବେ ପୁଅ ଦୁହେଁ ବଡ ହେଇ ଗଲେଣି l ମିସ୍ତ୍ରୀ କାମ କରି ରୋଜଗାର ବି କଲେଣି l ହାତ କୁ ଦି ହାତ ହେଇ ବି ସାରିଲେଣି l ବଡ ପୁଅ ର ଗୋଟିଏ ପୁଅ ଓ ଗୋଟିଏ ଝିଅ l ସାନ ପୁଅର ତିନି ଝିଅ, ପୁଅଟିଏ ପାଇଁ ଆଶା  କରି କରି ତିନି ଝିଅ ହେଇଛନ୍ତି l ଏଥିପାଇଁ ମାଉସୀଙ୍କର ଭାରି ଚିନ୍ତା l ତିନି ତିନିଟା ଝିଅ l ଆଜି କାଲି ଯାହା ଯୁଗ ହେଲାଣି l ବାହାସାହା କରି ଶାଶୁ ଘରକୁ ପଠେଇବା ପାଇଁ ବହୁତ ଟଙ୍କା ଦରକାର l ଦୁଇ ପୁଅ ମନା କରୁଛନ୍ତି କାମ କରିବାକୁ

ହେଲେ ମାଉସୀ ନିଜ ଦାୟିତ୍ୱ ବା ଭୁଲିବେ କେମିତି lସେଥିପାଇଁ ସେ ସବୁଦିନ ସକାଳ ପାଞ୍ଚଟା ରୁ ଉଠି ଛତୁଆ ଟିକେ ପୀ ଦେଇ ବାହାରି ପଡନ୍ତି ବାରଙ୍ଗ ରୁ ନନ୍ଦନ ବିହାର l ଉପର ଓଳି ଭିତରେ ଚାରି ଘରୁ କାମ ସାରି ଦିଅନ୍ତି l ଜଣେ ବାବୁ ଘରେ ଖାରବେଳ ଖିଆ ଖାଇ ଟିକେ ବିଶ୍ରାମ କରନ୍ତି l ଆଉ ଦୁଇ ଘରେ କାମ କରି ସନ୍ଧ୍ୟାରେ ମାଉସୀ ଘରକୁ ଫେରନ୍ତି l ମାଉସୀ କୁହନ୍ତି , ସେ ମା ଭାରି ଦୟାଳୁ l ସବୁଦିନ ଖରାବେଳେ ମାଉସୀଙ୍କୁ ଖାଇବାକୁ ଦିଅନ୍ତି l ତା ସହ ଘରକୁ ନାତୁଣୀ ମାନଙ୍କ ପାଇଁ ମଧ୍ୟ କେବେ କେବେ ପଠାନ୍ତି  l  

ମାଉସୀ ନିଜ କାମକୁ ନେଇ ଖୁବ ସନ୍ତୁଷ୍ଟ l ନିଜ ପରିବାର ପାଇଁ ସେ କରି ଚାଲିଛନ୍ତି କର୍ତ୍ତବ୍ୟ ଖୁସିର ସହ l ନା ଅଛି ମନରେ ତାଙ୍କର କୌଣସି ପ୍ରକାର ଅସନ୍ତୁଷ୍ଟି ନା କାହା ପାଇଁ ଅଛି ଅଭିଯୋଗ

Post a Comment

0 Comments